ମୋରଡ଼ା : ମୟୂରଭଞ୍ଜ ଜିଲ୍ଳା ଶୁଳିଆପଦା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବହୁ ଚର୍ଚ୍ଚିତ ମୁଖ୍ୟ କିରାଣି କୁଆଁର ଟୁଡୁ ଦୁଇଦିନ ତଳେ ଗତ ଅଗଷ୍ଟ ୩୧ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି | ମୋରଡା ବ୍ଲକର ପାଟପୁର ଗ୍ରାମ ନିବାସୀ ଶ୍ରୀଟୁଡୁ ୧୯୯୦ ମସିହାରେ କରଞ୍ଜିଆ ଡି.ଆଇ. ଅଫିସରୁ କନିଷ୍ଠ କିରାଣି ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବାବେଳେ ଦୀର୍ଘ ୩୪ ବର୍ଷ ଧରି ନିରବଛିନ୍ନ ଭାବେ କମଳା ନେହୁରୁ ବାଳିକା ବିଦ୍ୟାଳୟ, ମୟୂରଭଞ୍ଜ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ, ଜି.ବି. ହାଇସ୍କୁଲ ମୋରଡା, ବେତନଟୀ ଡି.ଆଇ ଅଫିସ, ଗୋରୁମହିଷାଣୀ ଗୁର ତାଲିମ ପ୍ରତିଷ୍ଠାନ, ବିଶୋଇ ବ୍ଲକ ବିଇଓ ଅଫିସ ଓ ଶେଷରେ ଶୁଣିଆପଦା ବିଇଓ ଅଫିସରେ ଚାକିରି କରି ଉତ୍ତମ ସେବା ପ୍ରଦାନ କରି ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲେ | ସେ ଯେଉଁଠିକୁ ବଦଳି ହୋଇ ଯାଉଥିଲେ ସେଠାକାର ଶିକ୍ଷକମାନେ ଆନନ୍ଦିତ ହେଉଥିଲେ | ସେ ତା ୩୦.୫.୨୦୧୯ରେ ବିଶୋଇ ବ୍ଲକରୁ ବଦଳି ହୋଇ ଶୁଳିଆପଦା ବିଇଓ ଅଫିସକୁ ଆସିବା ପରେ ଅଧିକ ଚର୍ଚ୍ଚିତ ହେଲେ | ଶୁଳିଆପଦା ବିଇଓ ଅଫିସ ସେତେବେଳକୁ ଦୁନୀତି ପ୍ରସଙ୍ଗକୁ ନେଇ ନିତିଦିନ ନୂଆନୂଆ ତଥ୍ୟ ଖବର କାଗଜର ପୃଷ୍ଠା ମଣ୍ଡଳ କରୁଥାଏ | ତେଣୁ କୁଆଁର ଟୁଡୁ କାର୍ଯ୍ୟରେ ଯୋଗ ଦେବା ପରେ ସମସ୍ତଙ୍କର ଭାଳେଣି ପଡିଲା | ସେ କାର୍ଯ୍ୟରେ ଯୋଗ ଦେବାର ୬ମାସ ପର୍ଯ୍ୟନ୍ତ କୌଣସି ଦାୟିତ୍ବ ଦିଆଗଲାନାହିଁ | ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ବାଧ୍ୟରେ ତାଙ୍କୁ ଦାୟିତ୍ବ ଦିଆଗଲା | ହେଲେ ତାଙ୍କର ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ଏକ ଗୋଷ୍ଠୀ ଉଦ୍ୟମ କଲେ | ଉଚ୍ଚ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ବଦଳି ସ୍ଥଗିତ ରହିଲା | ଏହାପରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ନକଲି ଦସ୍ତଖତରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ତାଙ୍କ ବଦଳି ପାଇଁ ପୁଣି ଅଭିଯୋଗ କରାଯାଇଥିଲା | ନକଲି ଦସ୍ତଖତ କଥା ପ୍ରଘଟ ହେବାପରେ ଶୁଳିଆପଦା ଥାନାରେ ମାମଲା ହୋଇଥିଲା | ତତ୍କାଳୀନ ଅତିରିକ୍ତ ଏସ.ପି. ଓ ଉପଖଣ୍ଡ ଥାନା ଅଧିକାରୀ ସେତେବେଳେ ଏହାର ତଦନ୍ତ କରିଥିଲେ ଓ ବଦଳି ଉଦ୍ୟମ ଫସର ଫାଟିଥିଲା |
ଏହାପରେ ପୁଣି ଥରେ ରାସଗୋବିନ୍ଦପୁର ବିଇଓ ଅଫିସକୁ ତାଙ୍କ ବଦଳି ଚିଠି ହୋଇଥିଲା | ମାନ୍ୟବର ଉଚ୍ଚ ନ୍ୟାୟାଳରଙ୍କ ହସ୍ତକ୍ଷେପ ପରେ ଉକ୍ତ ବଦଳି ମଧ୍ୟ ସ୍ଥଗିତ ରହିଲା | ନିଜର ସଚ୍ଚୋଟପଣିଆ ଓ ନିର୍ଭିକତା ପାଇଁ ସେ ସବୁଠି ଚର୍ଚ୍ଚାରେ ଥିଲେ | ଅଫିସର ଗୁମର ଫିଟିବା ଭୟରେ ମୁଖ୍ୟ କିରାଣି ହେବା ସତ୍ତ୍ବେ ଗତ ୨୦୨୨ ମସିହାଠାରୁ ତାଙ୍କ ପାଖକୁ କୌଣସି ଫାଇଲ ଆସୁନଥିଲା ଓ ଶେଷରେ ଅବସରର କିଛିଦିନ ପୂର୍ବରୁ ତାଙ୍କ ସର୍ଭିସ ବହିକୁ ଚିରି ଦିଆଯାଇଥିଲା | ଏହାକୁ ନେଇ ମଧ୍ୟ ଥାନାରେ ମାମଲା ପହଞ୍ଚିଥିଲା | କିନ୍ତୁ ଅପର ପକ୍ଷେ ସେ ଶିକ୍ଷକ ମହଲରେ ବେଶ ଲୋକପ୍ରିୟ ଥିଲେ | ତାଙ୍କ କାର୍ଯ୍ୟକାଳ ଭିତରେ ଶୁଳିଆପଦା ବିଇଓ ଅଫିସରେ ବେଆଇନ ଘରଭଡା ଟଙ୍କା, ମେଡିକାଲ ସହାୟତାରାଶି ହଡପ, ବେଆଇନ ବଦଳି, ଜାଲ ସାର୍ଟିଫିକେଟ ଚାକିରି ଆଦି ଅନେକ ଘଟଣା ଲୋକଲୋଚନକୁ ଆସି ପାରିଥିଲା | ସେ ସମାଜସେବାରେ ରୁଚି ରଖୁଥିବାରୁ ଶୁଳିଆପଦାର ଶିକ୍ଷକମାନଙ୍କୁ ନେଇ ଜୁମିଦ ଖେଓ୍ବାଲ ମାଚେତ ଖାଓ୍ବଁତା ନାମରେ ଓ ନିଜ ଜନ୍ମସ୍ଥାନରେ ଆଦିବାସୀ ସାର୍ନା ସୁମାର ସେମଲେଜ ସଂଗଠନ ଗଢି ଲୋକଙ୍କୁ ସେବା ଯୋଗାଉଥିଲେ | ଅବସର ଦିନ ତାଙ୍କୁ ଉକ୍ତ ସଂଗଠନ ଗୁଡିକ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ନାଚ ଗୀତର ଆସର ମଧ୍ୟରେ ତାଙ୍କୁ ନିଜ ବାସ ଭବନ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା | ଏବେ ତାଙ୍କ ଦୁଇ ପୁଅ ହରିହର ବଳଦେବ ଟୁଡୁ ବିଷମକଟକ ସି.ଏଚ.ସି.ରେ ଓ ସାନପୁଅ ରାମଦାସ ଟୁଡୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି |
More Stories
19-9-2024
18-9-2024
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।