ବଜାରରେ ଆକାଶ ଛୁଆଁ ଆଳୁ ଦର । ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ପରେ ଆଜି ବଜାରରେ ମିଳୁନି ଆଳୁ । ଆଉ ଯାହା ଆଳୁ ଅଛି ତାହା ୫୦ ପାଖାପାଖି ପହଞ୍ଚିଲାଣି । ବ୍ରହ୍ମପୁର ବଡ଼ବଜାର ଗୋଦାମରେ ଆଳୁ ବସ୍ତା ଆସିନି, ସମାନ ସ୍ଥିତି କଟକ ଛତ୍ରବଜାରରେ ମଧ୍ୟ । ସମ୍ବଲପୁର ଓ ବାଲେଶ୍ୱର ବଜାରରେ ଆଳୁ ଦର ଚଢ଼ା ହେଲାଣି । ଯେଉଁଠି ଲୋକେ କିଲେ, ଦିକିଲୋ ନେଉଥିଲେ ଏବେ ଅଧା କିଲୋ ନେଉଛନ୍ତି ।
ଆଉ ଏପଟେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ୍ ଗେଟ୍ରେ ଅଟକି ରହିଛି ଶତାଧିକ ଟ୍ରକ୍ । ଧର୍ମଘଟ ଯୋଗୁଁ ଏସବୁକୁ ଓଡ଼ିଶାକୁ ଯିବାକୁ ଦିଆଯାଉନି । ପଶ୍ଚିମବଙ୍ଗ ପଟେ ହିଁ ପଡ଼ୋଶୀ ରାଜ୍ୟ ପୋଲିସ୍ ଅଟକାଇଛି । ଯାହାର ସିଧା ପ୍ରଭାବ ଓଡ଼ିଶା ମାର୍କେଟ ଉପରେ ପଡ଼ିଛି । ଗତକାଲି ରାତିରେ କେବଳ ବାଛି ବାଛି ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପଟେ ଅଟକା ଯାଇଛି ।
ଅନ୍ୟପଟେ ଆଜି ବିଧାନସଭାରେ ଉଠିଛି ଆଳୁ ପ୍ରସଙ୍ଗ । ଆଜି ଶୂନ୍ୟକାଳରେ ଗୃହରେ ଆଳୁ ଦର ବଢ଼ିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବାଲେଶ୍ୱର ବିଧାୟକ ମାନସ ଦତ୍ତ । ଚାରିଦିନ ହେଲା ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନି । ପଶ୍ଚିମବଙ୍ଗରେ ଦାଦାଗିରି ପାଇଁ ଏଭଳି ସ୍ଥିତି ଉପୁଜିଥିବା ମାନସ ଦତ୍ତ ଗୃହରେ କହିଛନ୍ତି । ଯଦି, ଏଭଳି ପରିସ୍ଥିତି ଲାଗି ରହେ ତାହେଲେ ପଶ୍ଚିମବଙ୍ଗକୁ ଯାଉଥିବା ସମସ୍ତ ଓଡ଼ିଶା ସାମଗ୍ରୀ ବନ୍ଦ କରାଯାଉ ବୋଲି ସେ ଦୋହରାଇଛନ୍ତି । ଏ ନେଇ ସରକାର କିଛି ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।
More Stories
4-12-2024
25-11-2024
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ