Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା

Spread the love

• କଂଗ୍ରେସ ଛାଡ଼ିବା ହେଲା କି କାଳ, ଆପ୍ରାଣ ଚେଷ୍ଟା ହେଲା ବିଫଳ 

• ଶତ୍ରୁର ଶତ୍ରୁ ମିତ୍ର ନାଁ ରେ ପୀତବାସଙ୍କୁ ବନ୍ଧୁତାର ଲଲିପପ୍ …. ! 

ବ୍ରହ୍ମପୁର,୧୨/୪ (ଅଭିଜିତ କର): ଦୀର୍ଘ ୧୦ ମାସର ଆପ୍ରାଣ ଚେଷ୍ଟା ବିଫଳ ହୋଇଥିବା ଭଳି ପରିଲକ୍ଷିତ ହୋଇଛି, ଗତ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ସହରର ଜଣେ ଜଣାଶୁଣା ଆଇନଜୀବୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ପୀତବାସ ପଣ୍ଡା କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କୁ ଦଳୀୟ ବିରୋଧୀ ତଥା ବ୍ୟକ୍ତିଗତ ଭାବେ କଟାକ୍ଷ କରି ଆସୁଥିବା ବେଳେ, ଗୋପାଳପୁର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ତଥା ବର୍ତ୍ତମାନର ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିକଟତର ହୋଇ ତାଙ୍କ ସଂସ୍ପର୍ଶରେ ଆସି ବିଜେପିରେ ଯୋଗଦାନ କରିଥିଲେ। ସେହି ଦିନଠାରୁ ବିଜେଡି ଦଳ ଓ ଦଳୀୟ ନେତା ତଥା ବିଧାୟକ, ସାଂସଦ ଓ ମେୟରଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରିବା ସହ କଟାକ୍ଷ କରି ବେଶ୍ ଚର୍ଚ୍ଚାରେ ରହି ଆସୁଥିଲେ। ଏହାସହ ଗତ ନିର୍ବାଚନର ମଧ୍ୟ ବିକ୍ରମଙ୍କୁ ହରାଇ ବିଭୂତିଙ୍କୁ ଜିତାଇବାରେ ପୀତବାସଙ୍କ ଖୁବ୍ ପ୍ରଚେଷ୍ଟା ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏମିତି କି ନିର୍ବାଚନରେ ପରେ ବି ବିଭୂତିଙ୍କ ଉପରକୁ ଆସୁଥିବା ବିଭିନ୍ନ ଅଭିଯୋଗ ଓ ଆକ୍ଷେପକୁ ମଧ୍ୟ ରାଜନୈତିକ ଢଙ୍ଗରେ ପ୍ରତିକ୍ରିୟା ରଖୁଥିବା ପରିଲକ୍ଷିତ ହୋଇଛି।

ସେହିଭଳି ଗତ ମାସ ଗୁଡ଼ିକ ମଧ୍ୟରେ ବିଜେପି ପକ୍ଷରୁ ସରକାରକୁ ଆସିବା ପରେ ଦଳର ପୁରୁଖା ନେତା ଓ ଆମଦାନୀ ମିଶ୍ରିତ ନେତା ମାନଙ୍କୁ ଦଳର ବିଭିନ୍ନ ଦାୟିତ୍ଵ ଓ ନିଯୁକ୍ତି ମିଳିଥିବା ବେଳେ, ସେଇ ପଦବୀ ଆଶାରେ ରହି ବହୁ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଖାସ୍ ହେବା ପାଇଁ ବହୁ ବିବାଦୀୟ ପ୍ରସଙ୍ଗ ଗୁଡିକରେ ମଧ୍ୟ ମତ ରଖି ବିରୋଧୀ ମାନଙ୍କୁ କଟାକ୍ଷ କରିଥିବା ମଧ୍ୟ ନଜରରେ ରହିଛି । ତେବେ ତାଙ୍କୁ କିନ୍ତୁ ଆଜି ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ବନ୍ଧୁତ୍ୱର ବନ୍ଧନ ଠକି ଦେଇଥିବା ଦେଖିବାକୁ ମିଳିଛି । କାରଣ ବ୍ରହ୍ମପୁର ମହାନଗର ନିଗମ ପ୍ରତିନିଧି ଭାବେ ଭାରତୀୟ ଜନତା ପାର୍ଟିର ଯୁବନେତା ତଥା ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ନିଯୁକ୍ତି ମିଳିଛି । ଯୁବନେତା ଶ୍ରୀ ନାୟକ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଶିଳ୍ପାଞ୍ଚଳ ମଣ୍ଡଳ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ଭାବେ ସୂଚାରୁ ରୂପେ ଦାୟୀତ୍ଵ ତୁଲାଇ ଥିବା ବେଳେ, ବର୍ତ୍ତମାନ ତାଙ୍କ ମା ସାବିତ୍ରୀ ନାୟକ ମଧ୍ୟ ୩୯ ନଂ ୱାର୍ଡ଼ର କର୍ପୋରେଟର ରହିଛନ୍ତି । ଶିବଙ୍କ ଯୁବ ନେତୃତ୍ବର ପରାକାଷ୍ଠା ପ୍ରତିପାଦନ କରି ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଭବାନୀ ଶଙ୍କର ମିଶ୍ରଙ୍କୁ ସାକ୍ଷାତ କରି ମାନ୍ୟବର ମନ୍ତ୍ରୀଙ୍କ ନିଯୁକ୍ତି ପତ୍ର ହସ୍ତାନ୍ତର କରିବା ସହ ବ୍ରହ୍ମପୁର ମହାନଗରର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।

ତାଙ୍କ ନେତୃତ୍ବ ଉପରେ ବିଶ୍ୱାସ କରି ବ୍ରହ୍ମପୁର ମହାନଗର ନିଗମ ପ୍ରତିନିଧି ରୂପେ ନିଯୁକ୍ତି କରିଥିବା ବେଳେ, ବେଶ୍ ଖାସ୍ ରହିଥିବା ପୀତବାସଙ୍କୁ କାହିଁକି ଭରସା କରି ପାରିଲେ ନାହିଁ ମନ୍ତ୍ରୀ । ଗତ ନିର୍ବାଚନରେ ଉଭୟ ପୀତବାସ ଓ ଶିବ ବିଭୂତିଙ୍କୁ ଜିତାଇବା ପାଇଁ ଆପ୍ରାଣ ଚେଷ୍ଟା କରିଥିବା ସହ ଉଭୟ ହିଁ ବେଶ୍ ଖାସ୍ ରହି ଆସିଥିବା ବିଭିନ୍ନ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକର ଫୋଟରେ ନିକଟରେ ରହିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଆଜି କାହିଁକି ଯେଉଁ ବିଶ୍ୱାସ ଓ ଭରସା ଶିବ ଜିତି ପାରିଲେ ତାହା ପୀତବାସ କାହିଁକି ଜିତି ପାରିଲେ ନାହିଁ ତାହା ଏବେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବହୁ ଆଶା ରଖି କଂଗ୍ରେସ ଦଳର ଅଣଦେଖା ଅଭିଯୋଗ କରି ବିଜେପିକୁ ଆସିଥିବା ପୀତବାସ ଏବେ ପୁଣି ବିଜେପିରେ ଅଲୋଡା ରହିବେ ନା ମନ୍ତ୍ରୀଙ୍କ ରାଜନୈତିକ ବନ୍ଧୁତାର ବନ୍ଧୁତ୍ୱ ଭଳି ଲଲିପପ୍ ହିଁ ନା ଆଉ ଆଗାମୀ ଦିନରେ ଆଉ କିଛି ସୁହାଇଲା ଭଳି ପଦବୀ ମିଳିପାରେ ତାହା ଦେଖିବାକୁ ବାକି ରହିଲା। ତେବେ ଏହି ପରିପ୍ରେକ୍ଷୀରେ ଏକ ବେଶ୍ ଚର୍ଚ୍ଚା ରହିଛି ଯେ, ବିଭିନ୍ନ ପ୍ରସଙ୍ଗରେ ବିଜେଡି ନେତାଙ୍କୁ ପରିହାସ କରି ଆସୁଥିବା ପୀତବାସ ଆଜି ସମସ୍ତଙ୍କ ସମ୍ମୁଖରେ ନିଜେ ଏକ ପରିହାସର ପାତ୍ର ହୋଇଛନ୍ତି ବୋଲି ଦଳୀୟ ନେତା ଓ ବିରୋଧୀ ଦଳ ନେତାଙ୍କ ଖଟିରେ ଚର୍ଚ୍ଚା ରହିଛି। ତେବେ ଏନେଇ ବରିଷ୍ଠ ନେତା ଶ୍ରୀ ପୀତବାସ ପଣ୍ଡାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

error: Content is protected !!
Breaking News