ସାମାନ୍ୟ ବର୍ଷାରେ ବିଗୁଡ଼ୁଛି ପୁରୀ ବେଳାମାର୍ଗ

Spread the love

ସାମାନ୍ୟ ବର୍ଷାରେ ବିଗୁଡ଼ୁଛି ପୁରୀ ବେଳାମାର୍ଗ ସ୍ଥିତି। ଭାସୁଛି ନାଳର ଆବର୍ଜନା ଜଳ । ପୁରୀ ଦିଗବାରେଣି ଛକଠାରୁ ଲାଇଟ୍‌ହାଉସ ଛକ ଭିତରେ ଏକାଧିକ ସ୍ଥାନରେ ଏଭଳି ବର୍ଜ୍ୟ ଜଳ ଭାସୁଥିଲେ ହେଁ ଜିଲ୍ଲା ପ୍ରଶାସନର ଏଥିପ୍ରତି ନଜର ପଡୁନାହିଁ। ଡ୍ରେନେଜ୍ ଡିଭିଜନ୍ ଅବା ପୌର ପ୍ରଶାସନ ମଧ୍ୟ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ସେପଟେ ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଆସୁଛି। ପୂର୍ତ୍ତ ବିଭାଗ ବି ଏହାର ପ୍ରତିକାର କଥା ଚିନ୍ତା କରୁନଥିବାରୁ ବର୍ଜ୍ୟ ଜଳ ନିୟମିତ ଭାସି ରାସ୍ତାକୁ ନଷ୍ଟ କରୁଛି। ଫଳରେ ନିକଟରେ ତିଆରି ହୋଇଥିବା ଏହି ପିଚୁ ରାସ୍ତାରେ ଖାଲଖମା ଭର୍ତ୍ତି ହୋଇଗଲାଣି।

ପୁରୀ ବେଳାମାର୍ଗରେ ନାଳର ଆବର୍ଜନା ପାଣି ରାସ୍ତାରେ ଭାସିବା ନୂଆ ନୁହେଁ | ପ୍ରତିବର୍ଷ ସାମାନ୍ୟ ବର୍ଷାରେ ଏହି ରାସ୍ତା ଦେଇ ଯାଇଥିବା ଡ୍ରେନ୍‌ର ଚାମ୍ବର ବା ମ୍ୟାନହୋଲ୍ ଦେଇ ଆବର୍ଜନା ଜଳ ରାସ୍ତାରେ ଭାସେ। ବେଳାମାର୍ଗର ଏହି ଡ୍ରେନ୍ ବାଙ୍କିମୁହାଣକୁ ସଂଯୋଗ କରୁଛି। କିନ୍ତୁ ଏହି ଡ୍ରେନ୍ ଜାମ ହେବା କାରଣରୁ ବର୍ଜ୍ୟଜଳ ନିଷ୍କାସନ ହୋଇନପାରି ରାସ୍ତାରେ ଭାସୁଛି। ଏବେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ଏକାଧିକ ସ୍ଥାନରେ ଚାମ୍ବର ଠେଲି ନଳାପାଣି ରାସ୍ତା ଭାସୁଛି । ଏଣୁ ପୁରୀ ବୁଲି ଆସୁଥିବା ପର୍ଯ୍ୟଟକମାନେ ନାକ ଟେକିବା ସହ ଏକ ନକରାତ୍ମକ ଭାବନା ନେଇ ଫେରୁଛନ୍ତି।

ଅପରପକ୍ଷେ ବେଳାମାର୍ଗରେ ଯେଉଁ ହୋଟେଲ୍‌ ସବୁ ରହିଛି, ସେମାନେ ନିଜ ନିଜର ଶୌଚାଳୟ ଓ ଅନ୍ୟ ପାଇପ୍‌ଲାଇନ୍ ସିଧାସଳଖ ଏହି ଡ୍ରେନ୍‌ ଭିତରେ ପକାଇଛନ୍ତି । ଏଣୁ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଏହି ନଳାପାଣି ମାଡ଼ି ଲୋକେ ଯା’ଆସ କରୁଛନ୍ତି। ଏଣୁ ବହୁଦିନରୁ ଜାମ ହୋଇ ରହିଥିବା ଏହି ଡ୍ରେନ୍ ସଫା କରିବାକୁ ଦାବି ହୋଇଛି ।

error: Content is protected !!
Breaking News