ସୁଧ ଟଙ୍କାର ଭୟାବହତା ଯେ କେତେ ତାହାର ଚିତ୍ର ପୁଣି ସାମ୍ନାକୁ ଆସିଛି । ସୁଧ ଟଙ୍କା ଦେଇ ନ ପାରିବାରୁ ଚାଲିଯାଇଛି ଯୁବକଙ୍କ ଜୀବନ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ଡିବାସାହି ଗ୍ରାମରେ । ଗ୍ରାମର ଦୀପକ କୁମାର ପାତ୍ର ରାଜ୍ୟ ବାହାରେ ରହି କାର୍ଯ୍ୟ କରନ୍ତି । ହେଲେ ଗତ ମାର୍ଚ୍ଚ ୧୦ ତାରିଖରେ ତାଙ୍କର ବିବାହ ହୋଇଥିବା ବେଳେ ବିବାହ ସମୟରେ ସେ ଗ୍ରାମର ମନିକା ଜେନା ନାମକ ଜଣେ ମହିଳାଙ୍କ ନିକଟରୁ ୧୦ ହଜାର ଟଙ୍କା ୫ ଟଙ୍କା ସୁଧରେ ଆଣିଥିଲେ । ଯାହାକି ବିବାହ ସମ୍ପନ୍ନ ହୋଇଥିବା ବେଳେ ସେ ବିବାହ ପରେ ପୁଣି ନିଜର କର୍ମସ୍ଥଳୀ ଚେନ୍ନାଇକୁ ଚାଲିଯାଇଥିଲେ । ହେଲେ ବିଧିର ବିଧାନ ଥିଲା ଅଲଗା । ବିବାହର ତିନି ମାସ ପରେ ତାଙ୍କ ବାପା ନିତ୍ୟାନନ୍ଦ ପାତ୍ରଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିପାଇଁ ସେ ପୁଣି ଘରକୁ ଆସିଥିବା ବେଳେ ବାପାଙ୍କ ଅନ୍ତିମ କ୍ରିୟା ସାରି ଫେରିଯିବା କଥା । ହେଲେ ବାପାଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟକୁ ଆସିଥିବା ବେଳେ ସେ ବିବାହ ସମୟରେ ସୁଧରେ ଟଙ୍କା ଦେଇଥିବା ମହିଳା ମନିକା ଜେନା ତାଙ୍କୁ ନିଜ ଘରକୁ ଡାକିଥିଲେ ।
ମନିକା ଜେନା ଏବଂ ତାଙ୍କ ପୁଅ କଳ୍ପିତ ଜେନା ଦୁହେଁ ମିଶି ଦୀପକ ପାତ୍ରଙ୍କୁ ନିଜ ଘରକୁ ଡାକି ସେଠାରେ ନେଇଥିବା ଟଙ୍କା ଫେରସ୍ତ କରିବାକୁ କହିବା ସହିତ ସୁଧ ଟଙ୍କା ମାଗିଥିଲେ । ସୁଧ ଟଙ୍କା ମାଗିବା ସହିତ ଉଭୟ ମା ଏବଂ ପୁଅ ଦୀପକଙ୍କୁ ର୍ଦୁବ୍ୟବହାର କରିବା ସହିତ ସମସ୍ତଙ୍କ ସମ୍ମୁଖରେ ଗାଳିଗୁଲଜ କରିଥିଲେ । ଯାହାକି ଗତକାଲି ଦୀପକ ନିଜର କର୍ମସ୍ଥଳୀ ଚେନ୍ନାଇକୁ ଯିବା ନିମନ୍ତେ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ସୁଧ ଟଙ୍କା ଦେଇଥିବା ମହିଳାଙ୍କ ଘରୁ ସେ ଫେରିବା ପରେ ଘଟଣା ବାବଦରେ ତାଙ୍କ ମାଆ କାଦମ୍ବିନୀ ପାତ୍ରଙ୍କୁ ସବୁ କହିଥିଲେ । ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ବେଇଜ୍ଜତ କରିଥିବା କଥା ଦୀପକ ତାଙ୍କ ମାଆଙ୍କ ଆଗରେ କହିବା ସହିତ ତାଙ୍କୁ ଏପରି ବ୍ୟବହାର କରିଛନ୍ତି ଯାହା ତାଙ୍କ ମନକୁ ବହୁତ୍ ଆଘାତ ପାଇଛି ବୋଲି ସେ କଥା ତାଙ୍କ ମାଆଙ୍କ ସମ୍ମୁଖରେ କହିଥିଲେ । ଏହା ସହିତ ସେ ବିବାହ ସମୟରେ ୧୦ ହଜାର ଟଙ୍କା ସୁଧ ଆକାରରେ ଆଣିଥିବା କଥା ପରିବାର ଲୋକଙ୍କୁ କହିଥିଲେ । ଏହା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ହେଲେ ମାଆ ବୁଝାଇଥିଲେ ସୁଦ୍ଧା ଦୀପକ ପାତ୍ର ନିଜ ରୁମ ଭିତରେ ପଶିଯାଇ ଘରର କବାଟ ମାରି ଦେଇଥିଲେ । କିଛି ସମୟରେ ପରେ ଘର ଭିତରୁ ଚିତ୍କାର ଶବ୍ଦ ଆସିବା ପରେ ପରିବାର ଲୋକେ କବାଟ ବାଡେଇଥିଲେ । ହେଲେ ଘର ଭିତରେ ଥିବା ଦୀପକ କବାଟ ଖୋଲି ନ ଥିଲେ ।
ପରେ ପରିବାର ଲୋକେ ଏ ନେଇ କପ୍ତିପଦା ପୋଲିସ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବା ପରେ ଘର ଭିତରେ ଦୀପକ ନିଜ ସ୍ତ୍ରୀ ଶ୍ରାବଣୀ ପାତ୍ରଙ୍କ ଶାଢୀ ବେକରେ ଲଗାଇ ପଙ୍ଖାରେ ଝୁଲି ପଡି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହକୁ ଆଜି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ଅନ୍ୟପଟେ ତାଙ୍କ ଭାଇକୁ ସୁଧ ଟଙ୍କା ପାଇଁ ମାନସିକ ନିର୍ଯ୍ୟାତନା ଦେଇ ହତ୍ୟା କରାଯାଇଥିବା ମୃତ ଦୀପକ ପାତ୍ରଙ୍କ ଭାଇ ଅଶୋକ କୁମାର ପାତ୍ର କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ଅଭିଯୋଗକୁ ଆଧାର କରି ତଦନ୍ତ କରିବା ସହିତ କେଶ ନଂ – ୯୪/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ଖୋଳତାଡ ଜାରି ରଖିଛି । ଏ ସବୁ ଭିତରେ ବାପା ଆରପାରିକୁ ଚାଲିଯିବାର ଏକ ମାସ ମଧ୍ୟରେ ଘରର ପୁଅର ମୃତ୍ୟୁ ହେବା ପୁରା ପରିବାର ଉପରେ ଦୁଃଖର କଳାବାଦଲ ଛାଇ ଦେଇଛି । ତେବେ ଏ ବାବଦରେ ସୁଧ ଟଙ୍କା ଦେଇଥିବା ମହିଳା ମନିକା ଜେନାଙ୍କ ପ୍ରତିକ୍ରିୟା ନିମନ୍ତେ ତାଙ୍କୁ ବାରମ୍ବାର ଫୋନ କରାଯାଇଥିଲେ ସୁଦ୍ଧା ସେ ଫୋନରେ କଥା ହୋଇ ନ ଥିଲେ କିମ୍ବା କୌଣସି ଜବାବ ଦେଇ ନ ଥିଲେ ।
More Stories
19-9-2024
18-9-2024
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।