ବର୍ଣ୍ଣବୋଧ ପୁନଃ ପ୍ରଚଳନ ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁରୋଧ କଲେ ବେତନଟୀ ଶିକ୍ଷକ

Spread the love

ବେତନଟୀ : ବର୍ଣ୍ଣବୋଧକୁ ପାଠ୍ୟକ୍ରମରେ ସାମିଲ କରାଯିବାର ଆବଶ୍ୟକତାକୁ ଅନୁଭବ କରି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ପୁରୁଣିଆ ପଞ୍ଚାୟତର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମହାନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଲିଖିତ ପ୍ରସ୍ତାବ ଦେଇଥିବା ଜଣାଯାଇଛି। ନିର୍ଭୁଲ ଓଡିଆ ଲିଖନ ଓ ପଠନ ପାଇଁ ଭକ୍ତକବି ମଧୁସୂଦନ ରାଓଙ୍କ ସଂକଳିତ ଓଡିଆ ବର୍ଣ୍ଣବୋଧର ଭୂମିକା ସର୍ବାଧିକ। ପିଲାର ପାଠ ପଢା ବୟସ ହେଲେ ପ୍ରଥମେ ଖୋଜା ପଡେ ବର୍ଣ୍ଣବୋଧ। ତେବେ ଆଧୁନିକତାର ପ୍ରଭାବ ସତ୍ବେ ବର୍ଣ୍ଣବୋଧ ଆଜିର ଦିନରେ ମଧ୍ୟ ଏତେ ଲୋକପ୍ରିୟ ଯେ ସବୁ ବହି ଦୋକାନରେ ସହଜରେ ଏହା ମିଳିଯାଇଥାଏ। ଗରିବ ଧନୀ ସବୁ ବର୍ଗର ପିଲା ଏହାର ପାଠକ। ହେଲେ ଦୁର୍ଭାଗ୍ୟବଶତଃ ବିଦ୍ୟାଳୟ ପାଠ୍ୟକ୍ରମରେ ଏହାର ସ୍ଥାନ ନାହିଁ।

ପ୍ରାଥମିକ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ସମସ୍ତ ଶିକ୍ଷକ ଶ୍ରେଣୀ ପ୍ରକୋଷ୍ଠରେ ବର୍ଣ୍ଣବୋଧର ଅଭାବ ଅନୁଭବ କରିଥାନ୍ତି। ତେଣୁ ଏଥି ସହିତ ଶିକ୍ଷାଦାନ ସମୟରେ ଶିକ୍ଷକମାନେ ସାମ୍ନା କରୁଥିବା ବିଭିନ୍ନ ଅସୁବିଧାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ୨୮ଟି ପ୍ରସ୍ତାବ ସମ୍ବଳିତ ଏକ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି। ପ୍ରସ୍ତାବ ଗୁଡିକ ମଧ୍ୟରୁ ପାଳନୀୟ ଉତ୍ସବକୁ ଛୁଟି ତାଲିକାରୁ ବାଦ ଦେବା, ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରୁ ଅଲଗା କରିବା, ଶିକ୍ଷା ବର୍ଷ ପୂର୍ବରୁ ଶିକ୍ଷକ ବଦଳି ଶେଷ କରିବା, ଶିକ୍ଷାବର୍ଷ ମଝିରେ ଶିକ୍ଷକ ତାଲିମ ନକରିବା, ପିଲାଙ୍କ ଭଳି ପାଚିକାମାନଙ୍କ ମିଲ ମଧ୍ୟାହ୍ନ ଭୋଜନରେ ସାମିଲ କରିବା, ବେସରକାରୀ ବିଦ୍ଯାଳୟ ଭଳି ପ୍ରାଥମିକ ବିଦ୍ୟାଳୟକୁ ସକାଳୁଆ କରିବା, ବନ୍ଦ ଥିବା ବିଦ୍ୟାଳୟକୁ ଖୋଲିବା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କୁ ବୈଠକ ଭତ୍ତା ଦେବା, ମାଗଣା ବହି ସହ ଖାତା, କଲମ ମଧ୍ଯ ସାମିଲ କରିବା, ମଧ୍ୟାହ୍ନ ଭୋଜନ ଯୋଜନା ତୃତୀୟ ପକ୍ଷକୁ ହସ୍ତାନ୍ତର କରିବା, ଶିକ୍ଷକ ନିଯୁକ୍ତିକୁ ଜିଲ୍ଲାସ୍ତରୀୟ କରିବା, ସିଆରସିସି ପଦ ସ୍ଥାୟୀ କରିବା , ୬ବର୍ଷ ଚାକିରୀ ପରେ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ଓ ପଦୋନ୍ନତି ପ୍ରକ୍ରିୟାକୁ ସ୍ବୟଂଚାଳିତ କରିବା ଓ ଜାଲ ସାର୍ଟିଫିକେଟଧାରୀଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ସମ୍ପୁର୍ଣ୍ଣ ଦୂରେଇ ରଖିବା ଭଳି ପ୍ରସ୍ତାବ ଗୁଡିକ ଥିବା ଜଣାଯାଇଛି। ସରକାର ଓଡିଆ ଅସ୍ମିତାର କଥା କହୁଥିବାରୁ ଓଡିଆ ବର୍ଣ୍ଣବୋଧ ପ୍ରଚଳନ କରିବାରେ ନିଶ୍ଚୟ ଆଗ୍ରହ ଦେଖାଇବେ ବୋଲି ଶିକ୍ଷକ ଶ୍ରୀ ମହାନ୍ତ ଆଶା ପ୍ରକାଶ କରିଛନ୍ତି।

error: Content is protected !!