ଜୟପୁର : କଲିକତାର ଆରଜି କର ମେଡିକାଲ କଲେଜରେ କାର୍ଯ୍ୟରତ ମହିଳା ଡାକ୍ତର ମୌମିତା ଦେବନାଥଙ୍କୁ ନୃଶଂସ ଧର୍ଷଣ ଓ ହତ୍ୟା ପ୍ରତିବାଦରେ ଦେଶ ବ୍ୟାପୀ ଚାଲିଥିବା ଆନ୍ଦୋଳନ ସମର୍ଥନରେ ତଥା ଡାକ୍ତର ମୌମିତା ଦେବନାଥଙ୍କ ଧର୍ଷଣ ଓ ହତ୍ୟାରେ ସଂପୃକ୍ତ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା, ଘଟଣାର ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ କରିବା, ମୃତ ଡାକ୍ତରଙ୍କ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ କରିବା, ମହିଳା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସୁରକ୍ଷା ଯୋଗାଇଦେବା ଦାବିରେ ଆଜି ଜୟପୁରଠାରେ ଛାତ୍ର ସଂଗଠନ ଏଆଇଡିଏସ୍ଓ, ଯୁବକ ସଂଗଠନ ଏଆଇଡିୱାଇଓ, ମହିଳା ସଂଗଠନ ଏଆଇଏମ୍ଏସ୍ଏସ୍ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଆଇଏମ୍ଏସ୍ଏସ୍ ର କୋରାପୁଟ ଜିଲ୍ଲା ସଭାନେତ୍ରୀ ଇନ୍ଦୁମତି ଦାସ, ସମ୍ପାଦିକା ଲକ୍ଷ୍ମୀ ବାରିକ, ଏଆଇଡିୱାଇଓ ସଂଗଠକ ରବୀନ୍ଦ୍ର ପଣ୍ଡା, ଏଆଇଡିଏସ୍ଓ ର କୋରାପୁଟ ଜିଲ୍ଲା ସଭାପତି ସୁରଜିତ ସ୍ୱାଇଁ, ସମ୍ପାଦକ ଜଗନ୍ନାଥ ହରିଜନ ପ୍ରମୁଖ ଏହି ଶୋଭାଯାତ୍ରର ନେତୃତ୍ୱ ନେଇଥିଲେ । ଏହି ଶୋଭାଯାତ୍ରାରେ ପ୍ରାୟ ଶତାଧିକ ଛାତ୍ର,ଛାତ୍ରୀ, ସ୍ବାସ୍ଥ୍ୟକର୍ମି,ଶିକ୍ଷକ ଓ ସାଧାରଣ ନାଗରିକ ଅଂଶ ଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ ଯେ, ଏହିଭଳି ଅମାନୁଷିକ, ସମ୍ବେଦନହୀନ, ଅସାମାଜିକ ଘଟଣା ଆମ ଦେଶର ଧ୍ୱଂସମୁଖୀ ସାମାଜିକ ତଥା ସାଂସ୍କୃତିକ ବାତାବରଣର ଗର୍ଭରୁ ହିଁ ଜନ୍ମ ନେଉଛି । ଅନ୍ୟପଟେ ଅଶ୍ଳୀଳତା, ନଗ୍ନତା, ମଦ, ତଥା ଅନ୍ୟାନ୍ୟ ନିଶା ଦ୍ରବ୍ୟର ଅବାଧ ପ୍ରଚାର ଓ ପ୍ରସାର ଏହାକୁ ବହୁଗୁଣିତ କରୁଛି । ଆହୁରି ଚିନ୍ତାଜନକ ବିଷୟ ହେଉଛି ଯେ ଏଭଳି ଅପରାଧକୁ ରୋକିବା ପାଇଁ କୌଣସି ଦୃଢ଼ ପଦକ୍ଷେପ ନେବା ତ ଦୂରର କଥା, ବରଂ ଦୋଷୀଙ୍କୁ ସୁରକ୍ଷା ଦିଆଯାଉଛି । କଲିକାତସ୍ଥ ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତର ମୌମିତା ଦେବନାଥଙ୍କୁ ନୃଶଂସ ଭାବରେ ଧର୍ଷଣ ଓ ହତ୍ୟା କରାଗଲା । ପୋଲିସ ଓ ପ୍ରଶାସନ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲା । ଅପରାଧିଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦାବିରେ ସାରା ଦେଶରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ବ୍ୟାପକ ଭାବରେ ଆନ୍ଦୋଳନ ଚଳାଇଛନ୍ତି । ଏହି ଆନ୍ଦୋଳନର ସମର୍ଥନରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଶାସକ ଦଳର ମଦତପୁଷ୍ଟ ଗୁଣ୍ଡାବାହିନୀ ଆନ୍ଦୋଳନକୁ ଦମନ କରିବା ପାଇଁ ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ ଉପରେ ଆକ୍ରମଣ କରିଛି ଏବଂ ଦୋଷୀକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରମାଣ ନଷ୍ଟ କରିବାକୁ ମେଡିକାଲରେ ଭଙ୍ଗାରୁଜା କରିଛି ।
ଏହି ଭୟଙ୍କର ଘଟଣା ବିରୁଦ୍ଧରେ ଐକ୍ୟବଦ୍ଧ ଶକ୍ତିଶାଳୀ ଆନ୍ଦୋଳନ ଗଢିତୋଳିବା ପାଇଁ ଛାତ୍ରସମାଜ ତଥା ସମାଜର ସର୍ବସ୍ତରର ଗଣତନ୍ତ୍ରପ୍ରେମୀ ଜନସାଧାରଣ ଆଗେଇ ଆସିବାକୁ ସଂଗଠନ ପକ୍ଷରୁ ନିବେଦନ କରିଛନ୍ତି ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ