କନ୍ଧମାଳ : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନଏସିରେ ଏବେ କୁହୁଳିଲାଣି ଅସନ୍ତୋଷର ନିଆଁ ! ଏହି ନିଆଁ ବିଜେଡ଼ିକୁ ଜାଳି ପୋଡ଼ି ଛାରଖାର କରିଦେବ ବୋଲି ଏବେ ଠାରୁ ଚର୍ଚ୍ଚା ଜୋର ଧରିଛି ! ଆଉ ଏହି ନିଆଁରେ ଘିଅ ଢାଳିବା ଆରମ୍ଭ କରିଛନ୍ତି ଖୋଦ ବିଜେଡ଼ିର ୫ ନମ୍ବର କାଉନସିଲର ତଥା ପୂର୍ବତନ ଏନଏସି ଚେୟାରମ୍ୟାନ ପି.ସଞ୍ଜୀବ କୁମାର ପାତ୍ର ! ଯାହାର ଜ୍ୱଳନ୍ତ ଉଦାହରଣ ଗତ ଶୁକ୍ରବାର ଦେଖିବାକୁ ମିଳିଛି ! ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଅଗଷ୍ଟ ମାସ ୧୬ ତାରିଖ ଦିନ ଜି.ଉଦୟଗିରି ଏନଏସି କାଉନସିଲ ବୈଠକ ହେବାର ଥିଲା ! କିନ୍ତୁ ପି.ସଂଜୀବ କୁମାର ପାତ୍ରଙ୍କ ନେତୃତ୍ୱରେ ୮ ଜଣ କାଉନସିଲର ସେହି ବୈଠକକୁ ବର୍ଜନ କରିଛନ୍ତି ! ଏହି ଘଟଣା ପରେ ଜି.ଉଦୟଗିରି ଏନଏସିର ଭବିଷ୍ୟତକୁ ନେଇ ନାନା କଳ୍ପନା ଜଳ୍ପନା ଏବେ ଠାରୁ ଆରମ୍ଭ ହୋଇଛି ! ଏମିତି କି ପି.ସଂଜୀବ କୁମାର ପାତ୍ର ଖୋଦ ବିଜେଡି ଦଳର ହୋଇ ବିଜେଡିକୁ ବିରୋଧ କରୁଛନ୍ତି ! ଯେଉଁଥି ପାଇଁ ବିଜେଡି ହିଁ ବିଜେଡ଼ିର ବିରୋଧୀ ବୋଲି ଅନ୍ୟ ଦଳର ନେତା ଓ କର୍ମୀ ଆଲୋଚନା କରୁଛନ୍ତି ! କାଉନସିଲ ବୈଠକ ବର୍ଜନ କରିବା ପଛରେ ଅନେକ କାରଣ ରହିଥିଲେ ମଧ୍ୟ ବୁଲେଇ ବଙ୍କେଇ ବିଜେଡି ଏନଏସି ଚେୟାରମ୍ୟାନକୁ ସେମାନେ ବିରୋଧ କରୁଥିବା ଜଳ ଜଳ ଦେଖାଯାଉଛି ! ଖାଲି ସେତିକି ନୁହେଁ, ପି.ସଂଜୀବ କୁମାର ପାତ୍ର ବିଜେଡି ଓ ବିଜେପି କାଉନସିଲର ମାନଙ୍କୁ ନେଇ ଏକ ନୂଆ ସମୀକରଣ ତିଆରି କରି ଅନ୍ୟ ଏକ ଗୋଟି ଚାଳନା କରିପାରନ୍ତି ବୋଲି ସମ୍ଭାବନା ରହିଛି ! ଏଥି ପାଇଁ ସେ ଏନଏସି କାଉନସିଲ ବୈଠକକୁ ବର୍ଜନ କରିବା ସହ ୮ ଜଣ କାଉନସିଲରଙ୍କୁ ଏକାଠି କରି ନିଜ ସପକ୍ଷରେ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ! ଯେଉଁ ମାନଙ୍କୁ ନେଇ ପି.ସଂଜୀବ କୁମାର ପାତ୍ର ଏବେ ବଳଶାଳୀ ହେବାରେ ଲାଗିଛନ୍ତି ! ସେହି କାଉନସିଲର ମାନେ ହେଉଛନ୍ତି ଲକ୍ଷ୍ମୀପ୍ରିୟା ପରିଛା, ସଙ୍ଗୀତା ନାୟକ, ଲିପିକା ପ୍ରଧାନ, ଭାରତୀ ବେହେରା, କୁନ୍ତୀମା ମଲିକ, ଦୀପକ ନାୟକ ଓ ନିଶାରାଣୀ ନାୟକ ! ଏହି ସମସ୍ତ କାଉନସିଲର ପି.ସଞ୍ଜୀବ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ହିଁ ପରିଚାଳିତ ହେଉଥିବା ଜଣାପଡିଛି ! କେଉଁ କାରଣ ଲାଗି କାଉନସିଲ ବୈଠକକୁ ୮ କାଉନସିଲର ବର୍ଜନ କଲେ, ସେ ନେଇ ଆମେ ପି.ସଞ୍ଜୀବ କୁମାର ପାତ୍ରଙ୍କ ପ୍ରତିକ୍ରିୟା ନେଇଥିଲୁ ! ସେ କହିବା ଅନୁଯାୟୀ, ପୂର୍ବ ବୈଠକ ଗୁଡିକରେ ନିଆଯାଇଥିବା ପ୍ରସ୍ତାବ ଗୁଡିକୁ ବାତିଲ କରିବା ଲାଗି ଆମେ ଦାବି କରିଛୁ ! କାହିଁକି ନା ଯେଉଁ ସବୁ ପ୍ରସ୍ତାବ ନିଆଯାଇଛି, ସେଥିରେ ଚଞ୍ଚକତା କରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଚେୟାରମ୍ୟାନ ନିଜ ମନ ମୁତାବକ କାମ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ! ଏଣୁ ଆମେ ଏନଏସିର ଅଫିସର ରାଜ୍ ଓ ମନମାନି କରୁଥିବା ଚେୟାରମ୍ୟାନଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛୁ, ଆଗାମୀ ଦିନରେ ଆମ ମାନଙ୍କ ଦାବି ପ୍ରତି ଅଣଦେଖା କରାଗଲେ, ଆମେ ଦୃଢ଼ ପ୍ରତିବାଦ କରିବୁ ! ଆଜି ଆମେ ୮ ଜଣ କାଉନସିଲର ଏକାଠି ହୋଇଛୁ, ଆବଶ୍ୟକ ପଡିଲେ ଆମର ସଂଖ୍ୟା ଆହୁରି ଅଧିକ ମଧ୍ୟ ହୋଇପାରେ ଵୋଲି ପି.ସଞ୍ଜୀବ କୁମାର ପାତ୍ର ସୂଚନା ଦେଇଛନ୍ତି ! ଜି.ଉଦୟଗିରି ଏନଏସିର ସର୍ବାଙ୍ଗୀନ ବିକାଶ ପାଇଁ ଆମକୁ ଯାହା କରିବାକୁ ପଡିବ, ଆମେ ତାହା କରି ଦେଖାଇବୁ ବୋଲି ମଧ୍ୟ କହିଛନ୍ତି ! ଏଭଳି ପରିସ୍ଥିତିରେ ବିଜେଡିକୁ ଖୋଲା ଚାଲେଞ୍ଜ ଦେଇ ପି.ସଞ୍ଜୀବ କୁମାର ପାତ୍ର ଏନଏସି ଚେୟାରମ୍ୟାନଙ୍କ କାର୍ଯ୍ୟକାରିତା ଉପରେ ନାନା ପ୍ରଶ୍ନ ଉଠାଇଛନ୍ତି ! ଗତ ସାଧାରଣ ନିର୍ବାଚନରେ ଜି.ଉଦୟଗିରିରେ ବିଜେଡିର ଦଳୀୟ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ପରାଜିତ ହେବା ପରେ ଦଳର ସାଙ୍ଗଠନିକ ସ୍ଥିତି ଏତେଟା ଭଲ ନଥିବା ବେଳେ ପି.ସଞ୍ଜୀବ କୁମାର ପାତ୍ରଙ୍କ ଏଭଳି ଏକଚାଟିଆ ଶକ୍ତି ପ୍ରଦର୍ଶନ ଦଳ ପାଇଁ ଆଗାମୀ ଦିନରେ ମହଙ୍ଗା ପଡିବ ବୋଲି ଆଲୋଚନା ଜୋର ଧରିଛି ! ସମୟ ଥାଉ ଥାଉ ବିଜେଡିର ରାଜ୍ୟ ନେତୃତ୍ୱ ଏହା ଉପରେ ଦୃଷ୍ଟି ନ ଦିଅନ୍ତି ତେବେ ଜି.ଉଦୟଗିରିରେ ବିଜେଡି ସଙ୍ଗଠନ ଦୁର୍ବଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ! ଏହା ସହିତ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଅନେକ ଏବେ ବିଜେପି ମୁହାଁ ହେବା ପାଇଁ ବାଟ ଖୋଲି ସାରିଛି ! ବିଜେଡି ଗଡ ଭୁଶୁଡିଲେ ଅସନ୍ତୁଷ୍ଟ ମାନଙ୍କୁ ବିଜେପି କୋଳେଇ ନେବ ବୋଲି ମଧ୍ୟ ଚର୍ଚ୍ଚା ଲାଗିରହିଛି ! ପି.ସଂଜୀବ କୁମାର ପାତ୍ର ବିଜେଡ଼ିରେ ରହିବେ ନା ବିଜେପି ଦଳକୁ ଡେଇଁବେ, ସେ ନେଇ ଆଗାମୀ ଦିନରେ ତାଙ୍କ କାର୍ଯ୍ୟକଳାପ ହିଁ ସ୍ପଷ୍ଟ କରିବ !!
More Stories
25-11-2024
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024