୧୦୦ କୋଟି ଟଙ୍କାର ଛାତ୍ରବୃତ୍ତି ପଠାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା-ଏନ୍ଏଟିଏସ୍ ୨.୦ ପୋର୍ଟାଲର ଶୁଭାରମ୍ଭ କରିବା ସହ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଜରିଆରେ ଷ୍ଟାଇପେଣ୍ଡ ଭାବେ ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଆପ୍ରେଣ୍ଟିସିପକୁ ସହଜ କରିବା, ଦକ୍ଷତା ଅଭାବକୁ ଦୂର କରିବା, ଯୁବ ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା।
ଉନ୍ମୋଚନ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଏହି ପ୍ଲାଟଫର୍ମ ଛାତ୍ରଛାତ୍ରୀଙ୍କ ଦକ୍ଷତା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ମାନବ ସମ୍ବଳ ହାସଲ କରିବାରେ ସହାୟକ ହେଉଛି। ଏହି ଯୋଜନା ଅଧୀନରେ ୬ ମାସରୁ ୧୮ ମାସ ପର୍ଯ୍ୟନ୍ତ ଆପ୍ରେଣ୍ଟିସିପ୍ ଅବଧି ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ମାସିକ ୪୫ ଶହ ଟଙ୍କା ପ୍ରଦାନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବଜେଟରେ ନିଯୁକ୍ତି ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଦେଶର ଯୁବବର୍ଗଙ୍କ ଦକ୍ଷତା ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଆଗେଇ ଆସି ପୋର୍ଟାଲରେ ସାମିଲ ହେବାକୁ ଶିକ୍ଷାମନ୍ତ୍ରୀ ଅନୁରୋଧ କରିଛନ୍ତି।
ଏହି ଅବସରରେ ୟୁଜିସି ଅଧ୍ୟକ୍ଷ ପ୍ରଫେସର ମାମିଦଲା ଜଗଦେଶ କୁମାର ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହି ପୋର୍ଟାଲ ସମୟର ଆବଶ୍ୟକତା ଯାହା ଦେଶର ଅଭିବୃଦ୍ଧିରେ ଯୁବବର୍ଗଙ୍କୁ ସାହାଯ୍ୟ କରିବ। ଏହି କାର୍ଯ୍ୟକ୍ରମରେ ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଟିଜି ସୀତାରାମ, ଏନଇଟିଏଫ୍ ଅଧ୍ୟକ୍ଷ ଅନିଲ ସହସ୍ରବୁଦ୍ଧେ ଓ ଉଚ୍ଚଶିକ୍ଷା ବିଭାଗ ସଚିବ କେ ସଞ୍ଜୟ ମୂର୍ତ୍ତି ଉପସ୍ଥିତ ଥିଲେ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ