କେନ୍ଦୁଝର : କେନ୍ଦ୍ର ଓ ରାଜ୍ୟ ସରକାର ଗାଁ ଗଣ୍ଡାରେ ଥିବା ରାସ୍ତାର ଉନ୍ନତି ନିମନ୍ତେ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତାର ଉନ୍ନତି ହେବା ବଦଳରେ ମରଣଜନ୍ତା ପାଲଟିଛି । ଘଟଣାରୁ ପ୍ରକାଶଯେ କୁସୁମିତା ଫୁଲଝର ଭାୟା ବିନିଦା ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟ କରାଯାଇଥିଲା । ରାସ୍ତାର ସ୍ଥାୟୀତ୍ବ ୫ ବର୍ଷ ଗ୍ୟାରେଣ୍ଟି ଥିବାବେଳେ ଠିକାଦାର ଗ୍ୟାରେଣ୍ଟିର ଶେଷ ବର୍ଷ ଯେଣତେଣ ପ୍ରକାରରେ ରାସ୍ତା କାର୍ଯ୍ୟ ସାରି ଛୁ ମାରିଛି । ରାସ୍ତା କାର୍ଯ୍ୟ ସରିବା ପରେ ସ୍ଥାନୀୟ ଅଞ୍ଚଳର ଅଧିବାସୀଙ୍କ ଏହି ମରଣଜନ୍ତା ରାସ୍ତା ପାଇଁ ଦୁଃଖ କଷ୍ଟ ବଢ଼ି ଯାଇଛି । ଏହି ୮ କିମି ରାସ୍ତା ଏବେ ମରଣଜନ୍ତା ପାଲଟିଛି । ରାସ୍ତାଟି ପିଚୁ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଗେଟି ବାହାରି ରାସ୍ତା ସାରା ବିଛାଡି ହୋଇ ପଡ଼ି ରହିଛି । ରାସ୍ତାର ମଝିରେ ମଝିରେ ପାଣି ଜମି ଆଣ୍ଠୁଏ ଖାଲ ହୋଇ ଦୁର୍ବିସହ ହୋଇ ପଡ଼ିଛି । ଉକ୍ତ ଖାଲ ଖୋମାରେ ପଡି ଲୋକେ ଖଣ୍ଡିଆ ଖାବରା ହୋଇ ମେଡିକାଲରେ ଭର୍ତ୍ତି ହେଉ ଥିବା ଦେଖିବାକୁ ମିଳିଛି । ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଗୁଡିକ ରୋଗୀ ପାଖକୁ ସଠିକ ସମୟରେ ପହଂଚି ପାରୁନଥିବାରୁ ରୋଗୀ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହୋଇଛି । ଆମ୍ବୁଲାନ୍ସ ଆସିବା ବିଳମ୍ବ ଯୋଗୁଁ ଗର୍ଭବତୀ ମହିଳା ପ୍ରସବ ବେଦନାରେ ଛୋଟପଟ ହେଉଥିବାବେଳେ ଘରେ ଅଥବା ରାସ୍ତାରେ ପ୍ରସବ କରୁଥିବା ଦେଖିବାକୁ ମିଳୁଛି । କୋମଳମତୀ ପିଲା ମାନେ ଉକ୍ତ ରାସ୍ତା ଦେଇ ନିକଟରେ ଥିବା ସ୍କୁଲକୁ ଯାତାୟାତ କରୁଥିବାବେଳେ ରାସ୍ତାର ଦୂରବସ୍ଥା ଯୋଗୁଁ ସ୍କୁଲରେ ପହଞ୍ଚିବା କଷ୍ଟକର ହୋଇ ପଡ଼ିଛି। ଏ ରାସ୍ତାର ଚାରି ପାଖରେ ଘଞ୍ଚ ଜଙ୍ଗଲ ରହିଥିବାରୁ ବିଭିନ୍ନ ପ୍ରକାର ବନ୍ୟ ଜନ୍ତୁ ଏବଂ ହାତୀଙ୍କ ଚଳ ପ୍ରଚଳ ଦେଖିବାକୁ ମିଳିଥାଏ । ଏ ରାସ୍ତାର ଉଭୟ ପାର୍ଶ୍ଵରେ ପାହାଡି ଆଦିବାସୀ ଭୁୟାଁ ଜାତିର ଲୋକ ବସବାସ କରି ଆସୁଛନ୍ତି । ଏହି ରାସ୍ତାଟି ଅଁରା, ଦୁଧପଶି,ଫୁଲଝର,ରାଇଗଡା, ବିନିଦା,କୁସୁମିତା, ଶଙ୍କାରୀ ଆଦି ଗ୍ରାମର ଲୋକଙ୍କ ନିମନ୍ତେ ଜୀବନ ରେଖା ସଦୃଶ ଅଟେ । ଏହି ରାସ୍ତା ଦେଇ ବାଂଶପାଳବ୍ଲକ, ଝୁମ୍ପୁରାବ୍ଲକ,ତେଲକୋଇବ୍ଲକ ଓ ସଦର ବ୍ଲକ ଅଞ୍ଚଳର ଲୋକମାନେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ପାଇଁ କେନ୍ଦୁଝର ମୁଖ୍ୟାଳୟ ତଥା ମେଡିକାଲକୁ ପ୍ରତେକ ଦିନ ଯାତାୟାତ କରିଥାନ୍ତି । ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ପ୍ରବାଦ ପୁରୁଷ ଧରଣୀଧର ଭୂୟାଁଙ୍କ ଜନ୍ମ ସ୍ଥଳୀ କୁସୁମିତାକୁ ତଥ୍ୟ ସଂଗ୍ରହ ତଥା ବୁଲିବାକୁ ଆସି ଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏ ରାସ୍ତାର ଦୂରବସ୍ଥା ପାଇଁ ସମସ୍ତେ କ୍ଷୋଭ ପ୍ରକାଶ କରିଛନ୍ତି । ଏଣୁ ଜିଲ୍ଲାପାଳ କୁସୁମିତାଘାଟିଠାରୁ ଫୁଲଝର ଭାୟା ବିନିଦା ରାସ୍ତା ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ସବୁ ଦିଗରୁ ବିଚାର କରି ଏ ଅଞ୍ଚଳର ଜୀବନ ସଦୃଶ ରାସ୍ତାଟି ତୁରନ୍ତ ପିଚୁ କିମ୍ବା କଂକ୍ରିଟ କରିବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ସଭାପତି ରଞ୍ଜନ କୁମାର ବେହେରା,ସମ୍ପାଦିକା ଶୈଳବାଳା ପରିଡ଼ା,ପୁଷ୍ପାଞ୍ଜଳି ବେହେରା, ସସ୍ମିତା ନାଏକ,ସରୋଜ ସାହୁ,ସୁରଥ ମହାନ୍ତ,ଅଲେଖ ଜେନା ସମେତ ବୁଦ୍ଧିଜୀବୀ ଓ ଏ ଅଞ୍ଚଳର ଜନସାଧାରଣ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ