Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

କାଦୁଅରେ ଫସୁଛି ଯାନବାହନ, ପଡିଆ – ଶିଖପଲ୍ଲୀ ମୁଖ୍ୟ ରାସ୍ତା ଶୋଚନୀୟ

Spread the love

ପଡିଆ : ଗତ କିଛି ଦିନରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ହୋଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ବିଭିନ୍ନ ତଳିଆ ପୋଲ ଗୁଡିକ ଉପରେ ବର୍ଷା ପାଣି ପ୍ରବାହିତ ହୋଇଥିଲା। ତେବେ ଗତ ତିନି ଦିନ ପୂର୍ବେ ବର୍ଷାର ମାତ୍ରା କମିବାରୁ ଯାତାୟତ ସ୍ଵାଭାବିକ ହୋଇଥିବା ବେଳେ ସୀମାବର୍ତ୍ତୀ ଆନ୍ଧ୍ର ପ୍ରଦେଶର କୋଇଗୁରୁ ଗ୍ରାମ ନିକଟସ୍ଥ ପୋଲ ଭାସି ଯାଇଥିବା ଦେଖିବାକୁ ମିଳିଥିଲା। ଏହାପର ଠାରୁ ମାଲକାନଗିରି ଜିଲ୍ଲାପାଳ ସୀମାବର୍ତ୍ତୀ ଅଞ୍ଚଳକୁ ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରି ମାଲକାନଗିରି ରୁ ଦକ୍ଷୀଣ ଭାରତର ବିଭିନ୍ନ ରାଜ୍ୟକୁ ଯାଉଥିବା ଗାଡି ଗୁଡିକୁ ଶିଖପଲ୍ଲୀ – ପଡିଆ ହୋଇ ଯାତାୟତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ଗତ ଗୁରୁବାର ରାତ୍ରି ଠାରୁ ଦୈନିକ ଶହ ଶହ ଯାନବାହନ ଏହି ରାସ୍ତା ଦେଇ ପଡୋଶୀ ରାଜ୍ୟ ଗୁଡିକୁ ଯାଇଥିଲା । ତେବେ ଭାରି ଯାନବାହନ ଚଳାଚଳ ଯୋଗୁଁ ପଡିଆ – ଶିଖପଲ୍ଲୀ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ କାଦୁଅ ସହ ଖାଲଖମା ଭରି ଯାଇଛି। ଯାହାଫଳରେ ଗତ ଦୁଇ ଦିନ ମଧ୍ୟରେ ବାରମ୍ବାର ଭାରି ଯାନ ଗୁଡ଼କ କାଦୁଅରେ ଫଶି ରହୁଥିବା ଦେଖିବାକୁ ମିଳୁଛି। ପଡିଆ – ଶିଖପଲ୍ଲୀ ମୁଖ୍ୟ ରାସ୍ତାରେ ଥିବା କତାଗୁଡା, ତେଲାମଗୁଡା ନାଳ, ପର୍ସନପଲ୍ଲୀ ଗ୍ରାମ ନିକଟରେ ବଡ ଗର୍ତ୍ତ ସ୍ରୁଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଏଥିଲାଗି ଅନ୍ୟାନ୍ୟ ଗାଡି ଗୁଡ଼କ ଯାତାୟତରେ ଅସୁବିଧା ସ୍ରୁଷ୍ଟି ହେଉଥିବା ବେଳେ ଆମ୍ବୁଲାନ୍ସ ଗାଡି ଗୁଡିକ ଯିବାରେ ଅସୁବିଧା ସ୍ରୁଷ୍ଟି ହେଉଛି। ଏକାଧିକ ସ୍ଥାନରେ କାଦୁଅ ଭରା ଗର୍ତ୍ତ ଗୁଡିକୁ ଭରିବା ପାଇଁ ଟ୍ରକ ଚାଳକ ମାନେ ପଥର ଓ ମାଟି ପକାଇ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ୩୨୬ ନଂ ଜାତୀୟ ରାଜପଥର ମରାମତି ପର୍ଯ୍ୟନ୍ତ ଦକ୍ଷୀଣ ଭାରତୀୟ ଗାଡି ଗୁଡିକ ପଡିଆ – ଶିଖପଲ୍ଲୀ ମୁଖ୍ୟ ରାସ୍ତା ଦେଇ ଯାତାୟତ କରିବାକୁ ଥିବାରୁ ତୁରନ୍ତ ଏହି ରାସ୍ତାରେ ସ୍ରୁଷ୍ଟି ହୋଇଥିବା ଗର୍ତ୍ତ ଗୁଡିକର ମରାମତି ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।

error: Content is protected !!
Breaking News