ବାରିପଦା : ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସାଧନା” ଓ “ସମଗ୍ର ଶିକ୍ଷା, ମୟୁରଭଞ୍ଜର ମିଳିତ ସହଯୋଗରେ ବାରିପଦାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୁରଭଞ୍ଜ, ସମିଳନୀ କକ୍ଷରେ ଏକ ତିନିଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଅଛି । ଏହି କର୍ମଶାଳାରେ ସାଧାରଣ ବିଦ୍ୟାଳୟରେ ପଢୁଥିବା ଶ୍ରୁତିବାଧିତ ପିଲାମାନଙ୍କ ପାଇଁ ପୂର୍ବ ପ୍ରସ୍ତୁତ ଉପଯୋଜିତ ଶିକ୍ଷଣ ପୁସ୍ତିକାର ସମୀକ୍ଷା ଓ ସଂଶୋଧନ କରଯାଇଥିଲା । ଉକ୍ତ କର୍ମଶାଳାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଶିଧର ସିଂହ, ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ପିଲା କିଭଳି ଗୁଣାତ୍ମକ ଶିକ୍ଷା ପାଇବା ସହ ନିଜ ଶିକ୍ଷଣ କୁ ସୁନିଶ୍ଚିତ କରିପାରିବେ ସେହି ସମ୍ପର୍କରେ ଆଲୋଚନା କରିବା ସହ ଶ୍ରୁତିବାଧିତ ପିଲାଙ୍କ ପାଇଁ ପୁସ୍ତିକା ସଂଶୋଧନ କାର୍ଯ୍ୟକୁ ସ୍ଵାଗତ କରିଥିଲେ ।
ଅନ୍ୟତମ ଅତିଥିଭାବେ ଶିକ୍ଷା ପ୍ରତିଷ୍ଠାନର ଅଧକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଡାକୁଆ ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କୁ ଆନ୍ତରିକ ସ୍ନେହ ପ୍ରଦାନ କରି ଉପଯୁକ୍ତ ଶିକ୍ଷଣ ସୁଯୋଗ ସୃଷ୍ଟିକଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ମତ ରଖିଥିଲେ । ଶିକ୍ଷା ଅଧିକାର ଓ ଭିନ୍ନକ୍ଷମ ଅଧିକାର ଅଧିନିୟମକୁ ପାଥେୟ କରି ଭିନ୍ନକ୍ଷମ ପିଲାମାନଙ୍କର ସମନ୍ୱିତ ଶିକ୍ଷାର ଉନ୍ନତି ନିମନ୍ତେ ସାଧାରଣ ବିଦ୍ୟାଳୟର ପଢୁଥିବା ଶ୍ରୁତିବାଧିତ ପରିବେଶକୁ ସୁଗମ ତଥା ସୁନ୍ଦର କରିବା ଓ ସମସ୍ତ ପିଲାମାନଙ୍କ ସହିତ ମିଶି ଶିକ୍ଷା ଗ୍ରହଣ କରିବା ନିମନ୍ତେ ଏହି ପୁସ୍ତିକା ଗୁଡିକ ସହାୟକ ହେବ ବୋଲି ଜିଲ୍ଲା ସମନ୍ଵିତ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ ପ୍ରକାଶ କରିଥିଲେ ।
ସାଧନାର ନିର୍ଦେଶକ ଶ୍ରୀଯୁକ୍ତ ରଞ୍ଜିତ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିବା ସହିତ ସମାଜରେ ଭିନ୍ନକ୍ଷମ ପିଲାମାନଙ୍କର ଶିକ୍ଷା ବ୍ୟବସ୍ଥାର ନିୟମମାନ ଉପସ୍ଥାପନ କରିଥିଲେ । ସମଗ୍ର ଶିକ୍ଷାର ସମନ୍ୱିତ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ନାୟକଙ୍କ ଅଧକ୍ଷତାରେ ଉକ୍ତ କାର୍ମଶାଳାଟି ପରିଚାଳିତ ହୋଇଥିଲା । ସମୀକ୍ଷା ତଥା କାର୍ଯ୍ୟକ୍ରମ ପରିଚାଳନରେ ଶିକ୍ଷକ ପ୍ରଶିକ୍ଷକ ବଶିଷ୍ଟ ନାଏକ, ସମ୍ବଳ ସାଧକ ସନ୍ତୋଷ କୁମାର ସାହୁ, ପ୍ରକଳ୍ପ ସଂଯୋଜକ ଲାଲୁପ୍ରସାଦ ଖଣ୍ଡୁଆଲ ସହୋଯୋଗ କରିଥିଲେ । କର୍ମଶାଳାର ସଫଳ ରୂପାଯନ ଓ ଏହି ପ୍ରକ୍ରରିୟାରେ ପ୍ରସ୍ତୁତ ଉପଯୋଜିତ ପୁସ୍ତିକା ଗୁଡିକୁ ସମସ୍ତ ବିଦ୍ୟାଳୟରେ ପହଞ୍ଚାଇବା ପାଇଁ ଡି. ସି. ଡବ୍ଲୁ (Deaf Child Worldwide, UK) ସମ୍ପୂର୍ଣ ସହଯୋଗ କରିଛନ୍ତି। ଏହି କାର୍ମଶାଳାରେ ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ, ଆଞ୍ଚଳିକ ଗୋଷ୍ଠୀ ସାଧନ କେନ୍ଦ୍ରର ସଂଯୋଜକ, ଗୋଷ୍ଠୀ ସମ୍ବଳ ଶିକ୍ଷକ, ସ୍ଵତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଓ ସାଧନାର କର୍ମୀମାନେ ଉପସ୍ଥିତ ଥିଲେ ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ