Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଟ୍ରାକ୍ଟର ଚାଳିତ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

Spread the love

କୋରାପୁଟ : ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ଓ (ଆଇସିଆରଆଇଏସଏଟି) ହାଇଦ୍ରାବାଦର ମିଳିତ ପ୍ରୟାସରେ କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଅନ୍ତର୍ଗତ ମୁଖିବିଡ଼େଇ ଗ୍ରାମଠାରେ ଆଜି ତା-୧୪ ଅଗଷ୍ଟ ୨୦୨୪ ବୁଧବାର ଦିନ, ଟ୍ରାକ୍ଟର ଚାଳିତ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରା ଯାଇଥିଲା । ସମ୍ପ୍ରତି ଏହି ଅଞ୍ଚଳରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆରକେଭିୱାଇ) ପ୍ରକଳ୍ପ ମୁରୋ ମାଧ୍ୟମରେ ଓୟୁଏଟି ଓ ଇକ୍ରିସାଟ ତରଫରୁ ବିଭିନ୍ନ ପୃଷ୍ଟିଶସ୍ୟର ଉତ୍ପାଦନ ବୃଦ୍ଧିପାଇଁ ଗବେଷଣା ଜାରି ରହିଛି । ଓୟୁଏଟି ଅଧିନସ୍ଥ ସର୍ବ ଭାରତୀୟ ସମନ୍ୟୁତ କୃଷି ଯନ୍ତ୍ରପାତି ଗବେଷଣା ପ୍ରକଳ୍ପ ତରଫରୁ ଏକ ଟ୍ରାକ୍ଟର ଚାଳିତ ନଅ ଧାଡିଆ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରା ଯାଇଥିଲା । ଏହା ଦ୍ଵାରା ଏକ ଘଣ୍ଟାରେ ଏକ ଏକର ଜମିରେ ଏକର ପିଛା ୩ କେ ଜି ବିହନ ଧାଡିରେ ବୁଣାଯାଇ ପାରିବ । ଏତଦ ବ୍ୟତୀତ ଇକ୍ରିସାଟ ତରଫରୁ ପ୍ରଦଶିତ ଟ୍ରାକ୍ଟର ଚାଳିତ ଚାରିଧାଡ଼ିଆ ମାଣ୍ଡିଆ ମଞ୍ଜିବୁଣା ଯନ୍ତ୍ର ସାହାଯ୍ୟରେ ଏକର ପିଛା ୨ କେ॰ ଜି॰ ବିହନ ଓ ଏକ ଘଣ୍ଟାରେ ଏକ ଏକର ଜମିରେ ବୁଣା ଯାଇ ପାରୁଛି । ଧାଡିରେ ଯାନ୍ତ୍ରିକ ପ୍ରଣାଳୀରେ ମଞ୍ଜିବୁଣିବା ଦ୍ଵାରା ଜମିରେ ସଠିକ ଗଛ ସଂଖ୍ୟା ରହି ଥାଏ ଓ ଉତ୍ପାଦନ ବଡିବାରେ ସହାୟକ ହୁଏ । ପାରମ୍ପାରିକ ପଦ୍ଧତି ତୁଳନାରେ, ଏହି ପ୍ରଣାଳୀରେ କମ ଖର୍ଚ୍ଚ ରେ, କମ ସମୟରେ କମ ପରିଶ୍ରମରେ ମଞ୍ଜି ବୁଣା କାମ କରା ଯାଇ ପାରୁଛି। ରାଜ୍ୟରେ ପୃଷ୍ଟିଶସ୍ୟ ଫସଲର ଚାଷ ଆଶାତୀତ ଭାବରେ ବୃଦ୍ଧିପାଇବା ପରେ, ଏହିପରି ଯାନ୍ତ୍ରିକ ପ୍ରଣାଳୀରେ ଧାଡିବୁଣା କାମ କରାଗଲେ ଚାଷୀମାନେ ବିଶେଷଭାବରେ ଉପକୃତ ହେବେ ବୋଲି ଉପସ୍ଥିତ ବୁଦ୍ଧିଜୀବିମାନେ ମତ ଦେଇଥିଲେ । ଏହି କାର୍ଯ୍ୟକର୍ମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି, ଓୟୁଏଟିର ବୈଜ୍ଞାନିକ ଡ. ସଂଗ୍ରାମ କେଶରୀ ସ୍ଵାଇଁ, ଡ. ଶ୍ରୀକାନ୍ତ ପ୍ରଧାନ, ଡ. ବିମାନ ରଞ୍ଜନ ବେହେରା ଓ ଡ. ବିଶ୍ଵନାଥ ସାହୁ ତତସହିତ ଇକ୍ରିସାଟର ବୈଜ୍ଞାନିକ ଡ. ଯୋଗେଶ କୁମାର, ଡ. ଉଦିତ ଶଙ୍କର ପ୍ରମୁଖ ଚାଷୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହାସହିତ ଜିଲ୍ଲାର ସହକାରୀ କୃଷିଯନ୍ତ୍ରୀ ଗଣ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଓ ଆଞ୍ଚଳିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଗଣ ଯୋଗଦାନ କରିଥିଲେ । ଆଖପାଖ ଅଞ୍ଚଳରୁ ଶତାଧିକ ଚାଷୀ ଉକ୍ତ କାର୍ଯ୍ୟକର୍ମରେ ଯୋଗଦାନ କରିବା ସହିତ ମଞ୍ଜିବୁଣା ଯନ୍ତ୍ର ବିଷୟରେ ଜ୍ଞାନ ଅର୍ଜନ କରିଥିଲେ ।

error: Content is protected !!
Breaking News